• Sun. Nov 9th, 2025

ଝାରପଡ଼ା ଦୁର୍ଗାପୂଜା: ବନ୍ଦ ଆଶଙ୍କାରେ ତେଜୁଛି ଅସନ୍ତୋଷ, ଆଜି ନିଷ୍ପତ୍ତି ନେବେ ହାଇକୋର୍ଟ

ByNewsodisha

Aug 26, 2025

ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ଚଳିତ ବର୍ଷ ଝାରପଡ଼ାରେ ଦୁର୍ଗାପୂଜା ହେବ କି ନାହିଁ ଆଜି ହାଇକୋର୍ଟ ନିଷ୍ପତ୍ତି ନେବେ। ଏହାକୁ ନେଇ ଝାରପଡ଼ା ଗାଁ ମଧ୍ୟରେ ବିବାଦ ‌ତେଜିଛି। ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା ଚଳିତବର୍ଷ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ୨୦୧୧ ମସିହାରେ ପ୍ରଥମ କରି ଝାରପଡ଼ାରେ ଗାଁ ଲୋକଙ୍କ ଦ୍ବାରା ଦୁର୍ଗ‌ାପୂଜା ଆରମ୍ଭ ହୋଇଥିଲା। ଏହାପରେ ୧୪ ବର୍ଷ ଧରି ସୁରୁଖୁରରେ ପୂଜା ହୋଇ ଆସୁଥିଲା। ପୂଜା ସହିତ ପେଣ୍ଡାଲ, ମେଢ଼, ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ପାଇଁ ଝାରପଡ଼ା ପୂଜାମଣ୍ଡପ ସାଧାରଣ ଲୋକଙ୍କୁ ଆକର୍ଷିତ କରୁଥିଲା। ପ୍ରତି ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ପୁରସ୍କୃତ ହୋଇଆସୁଥିଲା। କିନ୍ତୁ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ବିବାଦ ଏବେ ଝାରପଡ଼ା ଦୁର୍ଗାପୂଜାକୁ ନେଇ ସଂଶୟ ସୃଷ୍ଟି କରିଛି। ଗତବର୍ଷ ଦୁର୍ଗାପୂଜା ପୂର୍ବରୁ ଦୁର୍ଗାପୂଜା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କାରଣରୁ ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା‌। ଝାରପଡ଼ା ଗାଁ’ର କିଛି ଲୋକ ଝାରପଡ଼ା ଦୁର୍ଗାପୂଜା କମିଟି ଉପରେ ଅର୍ଥ ଅନିୟମିତତା ଅଭିଯୋଗ ଆଣି ହୋହଲ୍ଲା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ନଭେମ୍ବର ମାସରେ କମିଟିର କଲ୍ୟାଣମଣ୍ଡପରେ ଏକ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗାଁର କିଛି ଯୁବକ ସେଠାକୁ ଯାଇ ବାଉଁଶ ଉପାଡ଼ି ଦେଇଥିଲେ। ବିବାହମଣ୍ଡପର ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତାହାର ବିବରଣୀ ଦିଆଯାଉ ନଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ବଡ଼ ଗଣ୍ଡଗୋଳର ଆଶଙ୍କା କରି ପୁଲିସ ସେଠାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩  ଲଗାଇଥିଲା। ଏହାପରଠାରୁ ସେଠାରେ ୧୬୩ ଧାରା ବଳବତ୍ତର ରହିଛି। 

ଏନେଇ ଏକ ଗୋଷ୍ଠୀ ଝାରପଡ଼ା ଦୁର୍ଗାପୂଜା କମିଟି ସଭାପତିଙ୍କ ବିରୋଧରେ ଅର୍ଥ ଅନିୟମିତତା ଓ ନିର୍ବାଚନରେ ଟାମ୍ପରିଂ ‌ହୋଇଥିବା ଅଭିଯୋଗ ଆଣି ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌)ଙ୍କ ଦ୍ବାରସ୍ଥ ହୋଇଥିଲେ। ଏଡିଏମ୍ ସବୁ ତଦନ୍ତ କରିବା ପ‌ରେ ଆପୋସ ବୁଝାମଣା କରି ଶାନ୍ତିପ୍ରତିଷ୍ଠା‌ କରି ପୂଜା କରିବାକୁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା‌ପରେ ଏଡିଏମ୍‌ଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ନଥିବା ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଛି। ଏଡିଏମ୍‌ଙ୍କ ପରାମର୍ଶ ପରେ ବୈଠକରେ ‌ସେମାନଙ୍କୁ ଡକାଯାଇ ନଥିବା ଅଭିଯୋଗ କରିଛନ୍ତି। ଏହାସହିତ ଅପରପକ୍ଷ କହିଛନ୍ତି ଯେ କିଛି ହାତଗଣତି ଲୋକ ଯେଉଁମାନେ ପୂର୍ବରୁ କମିଟିରେ ଥିଲେ ସେମାନଙ୍କ ବିଶୃଙ୍ଖଳ ଆଚରଣ ପାଇଁ କମିଟିରୁ ବାହାର କରିଦିଆଯାଇଥିଲା। ସେମାନଙ୍କୁ କାହିଁକି ଡକାଯିବ। ସେମାନଙ୍କ ବ୍ୟତୀତ ଗ୍ରାମର ସବୁ ପରିବାରର ସଦସ୍ୟମା‌‌ନେ ବୈଠକରେ ଯୋଗଦେଇଥିଲେ। ପରେ ଏହାକୁ ନେଇ ଉଭୟ ପକ୍ଷ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତାକାଲି ହାଇକୋର୍ଟର ତାରିଖ ରହିଛି। ପୂର୍ବ ତାରିଖରେ ହାଇକୋର୍ଟ ଲକ୍ଷ୍ମୀସାଗର ଥାନା ପୁଲିସକୁ କାହିଁକି ୧୬୩ ଧାରା ଲଗାଇଛନ୍ତି ଓ ବର୍ତ୍ତମାନ ଆଇନ ଶୃଙ୍ଖଳା ସ୍ଥିତି କଣ ରହିଛି ଏହାର ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ  ପୁଲିସ ରିପୋର୍ଟ ଅନୁସାରେ ଆସନ୍ତାକାଲି ହାଇକୋର୍ଟ ନିଷ୍ପତ୍ତି ନେବେ। କିନ୍ତୁ ବର୍ତ୍ତମାନ ହାଇକୋର୍ଟ ନିଷ୍ପତ୍ତି ପୂର୍ବରୁ ଝାରପଡ଼ାରେ ଆଉ ଏକ ନୂଆ ଝାରପଡ଼ା ଦୁର୍ଗାପୂଜା ସମିତି ତିଆରି ହୋଇଛି। ଗତ ସପ୍ତାହରେ ଏହାର ନୂଆ ସଦସ୍ୟ ଚୟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ନୂଆ ସମିତି ତିଆରି କରାଯାଇଥିବା ସମିତି ସଦସ୍ୟ କହିଛନ୍ତି। ନୂଆ କମିଟି ଝାରପଡ଼ା ମେଳଣ ପଡ଼ିଆରେ ପୂଜା ହେବ ବୋଲି ପ୍ରସ୍ତୁତି କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। 

ଏନେଇ ସ୍ଥାନୀୟ କର୍ପୋରେଟର ତଥା ବର୍ତ୍ତମାନ କମିଟିର ସଦସ୍ୟ ଶ୍ରୀଧର ଜେନା କହିଛନ୍ତି ‌ଯେ ହାଇକୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ। ‌ଯଦି ପୂଜା ହେବାକୁ ଅଦାଲତ ଆଦେଶ ଦିଅନ୍ତି ତେବେ ବହୁ ଆଡ଼ମ୍ବରରେ ପୂଜା କରିବୁ। କିନ୍ତୁ ବର୍ତ୍ତମାନ ମାଆଙ୍କ ପୂଜାକୁ ନେଇ ଯେଉଁ ବିବାଦ ଚାଲିଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଏହାଦ୍ବାରା ଝାରପଡ଼ା ଗାଁରେ ବହୁଦିନ ଧରି ଚାଲିଥିବା ଭା‌ଇଚାରା କ୍ଷୁଣ୍ଣ ‌ହେଉଛି। 

ଏନେଇ କମିଟିର ପୂର୍ବତନ ‌ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି, ଝାରପଡ଼ାରେ ମାଆଙ୍କ ପୂଜା ହେବ। ଅଦାଲତଙ୍କ ନିଷ୍ପତ୍ତିକୁ ଆମେ ‌ଅପେକ୍ଷା କରିଛୁ। ଯେଉଁଠାରେ ପୂଜା ହେଉଥିଲା ସେଠାରେ ନ ହେଲେ ଅନ୍ୟ ଏକ ସ୍ଥାନରେ ସମସ୍ତେ ମିଳିମିଶି ଭାଇଚାରାର ସହ ପୂଜା କରିବୁ। କିନ୍ତୁ ଝାରପଡ଼ା ଗାଁରେ ମା’ଙ୍କ ପୂଜା ବନ୍ଦ ହେବ ନାହିଁ। ଏନେଇ ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି ‌ଯେ ବହୁଦିନ ଧରି ମାଆଙ୍କ ପୂଜା ‌ହୋଇଆସୁଛି। ଉଭୟ ପକ୍ଷ ଏକ ସ୍ଥାନରେ ବସି ଆଲୋଚନା କରି ଆପୋସ ବୁଝାମଣା ଦ୍ବାରା ବିବାଦ ସମାଧାନ କରନ୍ତୁ। ଆ‌ଉ ଶୃଙ୍ଖଳାର ସହିତ ମା’ଙ୍କ ପୂଜାର୍ଚ୍ଚନା କରନ୍ତୁ ବୋଲି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି। ଲକ୍ଷ୍ମୀସାଗର ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ କହିଛନ୍ତି ଯେ, ଆସନ୍ତାକାଲି ହାଇକୋର୍ଟ ଆମକୁ ରିପୋର୍ଟ ମାଗିଛନ୍ତି। ଆମେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ରିପୋର୍ଟ ପ୍ରସ୍ତୁତ କରିଛୁ। ଆସନ୍ତାକାଲି କୋର୍ଟରେ ଦାଖଲ କରିବୁ। କୋର୍ଟ ଯାହା ଆଦେଶ ଦେବେ ଆମେ ପାଳନ କରିବୁ। ଆଉ ଯେଉଁ ଅନ୍ୟ ଏକ ସ୍ଥାନରେ ପୂଜା ହେବ ବୋଲି ଚର୍ଚ୍ଚା ହେଉଛି ଏହାକୁ ନେଇ ଆମଠାରୁ କେହି ଅନୁମତି ନେଇ ନାହାନ୍ତି ବୋଲି ଶ୍ରୀ ରାଓ କହିଛନ୍ତି।

Leave a Reply

Your email address will not be published. Required fields are marked *